ମାଲକାନଗିରି, ୧ ୬ ଜାନୁଆରୀ (ହି. ସ.)-ବାରମ୍ବାର ଗୁହାରି ପରେ ବି ଶୁଣିଲାନି ପ୍ରଶାସନ। ଶେଷରେ ଗ୍ରାମବାସୀ ମିଳିତ ଭାବେ ପାହାଡ଼ କାଟି ରାସ୍ତା ନିର୍ମାଣ କରିଛନ୍ତି। ପ୍ରଶାସନ ଉପରେ ଭରସା ନ କରି ଏଭଳି ପଦକ୍ଷେପ ନେଇଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଅଧୀନସ୍ତ ଯନ୍ତ୍ରୀ ପଞ୍ଚାୟତର ଅଲଂପଡ଼ା ଗ୍ରାମବାସୀ ।ବ୍ଳକ କାର୍ଯ୍ୟାଳୟରୁ ୮ 0କିଲୋମିଟର ଓ ପଞ୍ଚାୟତ କାର୍ଯ୍ୟାଳୟରୁ ୧୦ କିଲୋମିଟର ଦୂ ରରେ ଥିବା ଅଲଂପଡ଼ା ଗାଁରେ ମୋଟ ୧୮ଟି ପରିବାର ବସବାସ କରୁଛନ୍ତି ଗାଁକୁ ପକ୍କା ରାସ୍ତା ନ ଥିବାରୁ ବହୁ ବର୍ଷ ହେଲା ଏହି ଗ୍ରାମବାସୀ ଦୁର୍ବିଷହ ଜୀବନ ବିତାଉଥିଲେ । ଗାଁରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଜନପ୍ରତିନିଧିଙ୍କ ପାଦ ପଡ଼ୁନଥିବାରୁ ଗାଁର ବିକାଶ ହୋଇପାରୁନି। ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଗାଁରେ ସମସ୍ତ ସରକାରୀ ଯୋଜନା ପହଞ୍ଚିବ ବୋଲି ଗ୍ରାମବାସୀ ଆଶା ବାନ୍ଧିଥିଲେ । କିନ୍ତୁ ତାହା ବି ପୂରଣ ହୋଇପାରିନି। ପାହାଡ଼ ଘେରାରେ ଥିବା ଏହି ଗାଁକୁ ପକ୍କା ରାସ୍ତା ନ ଥିବାରୁ ଯାତାୟାତ ସମୟରେ ଗ୍ରାମବାସୀ ହଇରାଣ ହେଉଥିଲେ! ଗାଁ କୁ ଗୋଟେ ଭଲ ରାସ୍ତା ନିର୍ମାଣ ପାଇଁ ଜନପ୍ରତିନିଧିଙ୍କୁ ଗୁହାରି କରିବା ପରେମଧ୍ୟ କେହି ଏଥିପ୍ରତି କର୍ଣ୍ଣ ପାତ କଲେନି। ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ଏକତ୍ରିତ ହୋଇ ରାସ୍ତା ନିର୍ମାଣ କରିବା ପାଇଁ ମନସ୍ତ କରି ସମସ୍ତ ପରିବାରର ଜଣେ ଲେଖାଏଁ ସଦସ୍ୟ ପ୍ରତିଦି ପାହାଡ଼ କାଟି ରାସ୍ତା ତିଆରି କରୁଛନ୍ତି। କୋଦାଳ ଓ ଶାବଳ ରେ ପାହାଡ଼ ଖୋଳି ଗାଁକୁ ରାସ୍ତା ସଂଯୋଗ କରିବାରେ ବ୍ୟସ୍ତ ରହିଛନ୍ତି ସମସ୍ତେ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁକୁ ରାସ୍ତା ନଥିବାରୁ କୌଣସି ସରକାରୀ ସୁବିଧା ମିଳିପାରୁନି। ଏପରିକି ଗାଁର କେହି ବି ଆବାସ ଯୋଜନାରେ ଘର ନିର୍ମାଣ କରିପାରୁନାହାନ୍ତି | ବହୁ ବର୍ଷ ଗ୍ରାମବାସୀ ଦୁର୍ବିଷହ ଜୀବନ ବିତାଉଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ତେଣୁ ବାଧ୍ୟ ହୋଇ ପାହାଡ଼ କାଟି ରାସ୍ତା କରୁଥିବା ଗ୍ରାମବାସୀ କହିଛନ୍ତି।
ହିନ୍ଦୁସ୍ଥାନସମାଚାର /ଶିବବ୍ରତ //ସମନ୍ୱୟ
