ଧର୍ମଶାଳା, ୧୪ ଜାନୁଆରୀ (ହି.ସ.)- ଗ୍ରାମାଚଂଳରେ କ୍ରିକେଟ୍ ଖେଳର ବିକାଶ ଓ ଲୁଚି ରହିଥିବା ପ୍ରତିଭାକୁ ଅନ୍ୱେଷଣ କରିବା ଉଦ୍ଦେଶ୍ୟରେ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା କ୍ଲବ ଏକ ମହତ୍ ଉଦ୍ଦେଶ୍ୟ ହାତକୁ ନେଇଛି । ଏହି ଖେଳର ବିକାଶକୁ ଦୃଷ୍ଟିରେ ରଖି ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଇରଫାନ ପଠାନ୍ କ୍ରିକେଟ୍ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ମହମ୍ମଦ ଆଝାଦ୍ ଯୋଗଦେଇ ଶିଶୁମାନଙ୍କୁ କ୍ରିକେଟ୍ କୌଶଳ ତାଲିମ ପ୍ରଦାନ କରିଥିଲେ ।
ଆଜିର ପ୍ରଶିକ୍ଷଣ ଶିବିରରେ ଆଖପାଖ ପଂଚାୟତର ଦେଢ ଶହରୁ ଉର୍ଦ୍ଧ ଖେଳାଳୀ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଶିବିରରେ ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶନୀ ଦେଓ, ଯୁବନେତା ରାକେଶ ଦେଓ, ପ୍ରଦୀପ ଦାସ, ପ୍ରଫୁଲ୍ଲ ଗିରି, ପ୍ରଶାନ୍ତ ରାଉତ, ଦୀନବନ୍ଧୁ ରାଉତ, ଅଶ୍ଵିନି ରାଉତ ଓ ବିଜ୍ଞାନ ଦାସ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଶିକ୍ଷକ ମହମ୍ମଦ ଆଝାଦ ଶିଶୁମାନଙ୍କୁ ବ୍ୟାଟିଂ, ବୋଲିଂ ଓ ଫିଲଡିଂ ତାଲିମ ଦେବା ସହ କ୍ରିକେଟ୍ ମଧ୍ୟରେ ଫିଟନେସ୍, ଶୃଙ୍ଖଳା ଓ ଧୈର୍ଯ୍ୟକୁ ପ୍ରାଧାନ୍ୟ ଦେବାକୁ ଉପଦେଶ ଦେଇଥିଲେ ।
ଆଜିର କାର୍ଯ୍ୟକ୍ରମକୁ ବ୍ରହ୍ମବରଦା କ୍ଲବ ପରିଚାଳକ ମଂଟୁ ଦାସ ପରିଚାଳନା କରିଥିଲେ । ଆନ୍ତର୍ଜାତୀୟ କିକେଟ୍ ଏକାଡେମୀର ପ୍ରଶିକ୍ଷକଠାରୁ ତାଲିମ ନେଇ କ୍ରିକେଟ୍ ପ୍ରେମୀ ଉତ୍ସାହିତ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ପ୍ରଦୀପ୍ତ/ସମନ୍ୱୟ
