ଭୁବନେଶ୍ୱର, 25 ଡିସେମ୍ବର (ହି.ସ.) – ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଭାରତରେ ବିକାଶର ଧାରା ଆରମ୍ଭ କରିଥିଲେ । ଯାହାକୁ ଆଧାର କରି ଆଜି ଦେଶ ଅଗ୍ରଗତି କରିଛି । ଅଟଳଜୀ କେବଳ ବିଜେପିର ନେତା ନଥିଲେ, ସେ ପୂରା ଦେଶର ନେତା ଥିଲେ । ସ୍ୱର୍ଗତଃ ଅଟଳଜୀ ଏକାଧାରରେ ଜଣେ କବି, ରାଜନେତା, ଦାର୍ଶନିକ, ଶିକ୍ଷକ, ସାମ୍ବାଦିକ, ଶ୍ରେଷ୍ଠ ବୈଦଶିକ ମନ୍ତ୍ରୀ, ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ, ଜଣେ ବିଚକ୍ଷଣ କୁଟନୀତିଜ୍ଞ, ପ୍ରଚଣ୍ଡ ରାଷ୍ଟ୍ରଭକ୍ତ, କୁଶଳୀ ସଙ୍ଗଠକ ଥିଲେ । ୧୯୨୪ ଡିସେମ୍ବର ୨୫ ତାରିଖରେ ଏହି ରାଷ୍ଟ୍ରପୁରୁଷ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ପ୍ରତିରକ୍ଷା, ଟେଲିକମ, ଖାଦ୍ୟ ସୁରକ୍ଷା, ଶିକ୍ଷା, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ପ୍ରଧାନମନ୍ତ୍ରୀତ୍ୱ କାଳରେ ଅଟଳଜୀ ଦେଶରେ ସୁଶାସନ ବ୍ୟବସ୍ଥା କରିଥିଲେ । ପଣ୍ଡିତ ଦୀନଦୟାଲଜୀଙ୍କ ମହାନ ବିଚାର ‘ଅନ୍ତ୍ୟୋଦୟ’କୁ ଅଟଳଜୀ ପ୍ରଥମେ କାର୍ଯ୍ୟକାରୀ କରିଥିଲେ ଏବଂ ବର୍ତମାନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା ପାଇଁ ପ୍ରଚେଷ୍ଟା ଜାରୀ ରଖିଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ଭାରତର ଅନ୍ଧକାର ଭିତରେ ଆଲୋକ ଆଣିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ । ବୈଦେଶିକ ବ୍ୟାପର ବିଭାଗରେ ଅଟଳଜୀଙ୍କ ପାରଦର୍ଶିତା ଥିଲା । ସ୍ୱର୍ଗତଃ ଅଟଳଜୀ ପାକିସ୍ତାନକୁ ଏକ ଘରିଆ କରିବା ସହ ସମସ୍ତ ଦେଶକୁ ଏକଜୁଟ କରିବା କୂଟନୀତିଜ୍ଞ ଥିଲେ । ଦେଶରେ ତୃଷ୍ଟିକରଣ ହେବ ନାହିଁ ସମସ୍ତଙ୍କୁ ନ୍ୟାୟ ଦିଆଯିବ ଆହ୍ୱାନକୁ ନେଇ କାର୍ଯ୍ୟ କରୁଥିଲେ ଅଟଳଜୀ । ସରକାରକୁ ଆସିବା ପରେ ଅଟଳଜୀ ୧୩୫ନଂ ଦେଶକୁ ୬ନଂ ରାଷ୍ଟ୍ରରେ ପରିଣତ କରିଥିଲେ । ପରମାଣୁ ପରୀକ୍ଷଣ କରି ଭାରତର ଅସ୍ମିତା, ଗୌରବ ଏବଂ ଶକ୍ତି କାର୍ଯ୍ୟ କରିଥିଲେ । କାମଚଳା ପ୍ରଧାନମନ୍ତ୍ରୀ ଥିଲାବେଳେ “କାରଗିଲ” ଯୁଦ୍ଧରେ ଯଶସ୍ୱୀ ହୋଇଥିଲେ । ପାକିସ୍ତାନକୁ ପରାସ୍ତ କରିଥିଲେ । କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ଶରୀରକୁ ଘରେ ପହଂଚାଇବାର ସୁବ୍ୟବସ୍ଥା ସହ ରାଷ୍ଟ୍ରୀୟ ସମ୍ମାନର ବ୍ୟବସ୍ଥା ଓ ପରମ୍ପରା ସୃଷ୍ଟି କରିଥିଲେ ।
୧୯୯୯ ମସିହା ମହାବାତ୍ୟା ପରେ ଓଡିଶାକୁ ପୁଣି ଥରେ ଗଢି ତୋଳିବା ପାଇଁ ସ୍ୱର୍ଗତଃ ବାଜପେୟୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ପରବର୍ତୀ ସମୟରେ ପାରାଦୀପ ରିଫାଇନାରୀ, ଇଷ୍ଟକୋଷ୍ଟ ରେଲୱେ ଜୋନ୍, ଏମ୍ସ ମେଡିକାଲର ପ୍ରତିଷ୍ଠା, ସ୍ୱର୍ଣ୍ଣ ଚର୍ତୁଭୂଜ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମାଚଂଳର ଚେହେରା ବଦଳାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ବହୁତ ବଡ ଭୂମିକା ଥିଲା । ଓଡିଶା ବିକାଶରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ । ଓଡ଼ିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ । ସ୍ୱର୍ଗତଃ ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ବିକାଶ (ସ୍ୱର୍ଣ୍ଣ ଚତୁର୍ଭୁଜ) ଯୋଜନାରେ ଦେଶରେ ସବୁଠୁ ଅଧିକ ପ୍ରାଧାନ୍ୟ ଓଡ଼ିଶାକୁ ଦେଇଥିଲେ । ଓଡିଶାକୁ ଅଧିକ ଗୁରୁତ୍ୱ ଦେଇ ୧୬ ଶହ କିମି ବିଶିଷ୍ଟ ରାଜମାର୍ଗକୁ ଦୁଇ ଗୁଣ କରି ୩୨ ଶହ କିମିରେ ପହଂଚାଇଥିଲେ । ଅନ୍ତୋଦୟ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ଗରୀବଙ୍କ ପାଖରେ ଅନ୍ନ ପହଂଚାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ଯୋଗଦାନ ଅତୁଳନୀୟ ।
ଦେଶର ଅଗ୍ରଣୀ ସ୍ୱାସ୍ଥ୍ୟସେବା ଯୋଗାଉଥିବା ମେଡିକାଲ କଲେଜ ମଧ୍ୟରୁ ଅନ୍ୟତମ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲ କଲେଜର ପ୍ରତିଷ୍ଠା ତାଙ୍କ ପାଇଁ ସମ୍ଭବ ହୋଇପାରିଛି । ୧୯୯୯ ବାତ୍ୟା ପରେ ସ୍ୱର୍ଗତଃ ଅଟଳଜୀ କହିଥିଲେ ଓଡ଼ିଶା ପୁଃନ ନିର୍ବାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ । ୧୯୯୧ ଭଦ୍ରକରେ ହୋଇଥିବା ଅଂଚଳକୁ ପରିଦର୍ଶନ କରିଥିଲେ । ସାରା ଦେଶରେ ନଦୀ ସଂଯୋଗୀକରଣ କାର୍ଯ୍ୟ କରିଥିଲେ । ୧ଲକ୍ଷ ୫ହଜାର କୋଟିରେ ଓଡ଼ିଶାର ନଦୀ ସଂଯୋଗୀକରଣ କରିଥିଲେ । “ଜୟ ଜବାନ ଜୟ କିଷାନ”ର ନାରା ଦେଉଥିଲେ । ପୋଲିସ ଷ୍ଟେସନରୁ ପାଲ୍ୟାମେଂଟ ପର୍ଯ୍ୟନ୍ତ ଆନ୍ଦୋଳନ କରିଥିଲେ । ଆଦିବାସୀ ମନ୍ତ୍ରଳାୟର ଆରମ୍ଭ କରିଥିଲେ । ଆତଙ୍କବାଦ ବିରୋଧରେ ମଧ୍ୟ ସଂଗ୍ରାମ କରିଥିଲେ ଅଟଳଜୀ । ଅଟଳଜୀ ସଂକଳ୍ପରୁ ସୁଶାସନ ନ୍ୟାୟରେ କାର୍ଯ୍ୟ କରୁଥିଲେ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
