ହାଇଦ୍ରାବାଦ, ୦୭ ଡିସେମ୍ବର (ହି.ସ.) – କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ଗୁରୁବାର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଡ. ତାମିଲସାଇ ସୁନ୍ଦରରାଜନ ତାଙ୍କୁ ଶପଥଗ୍ରହଣ କରାଇଥିଲେ । ତାଙ୍କ ସହ ୧୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ଯେଉଁଥିରେ ଭଟ୍ଟି ବିକ୍ରମାର୍କ ମଲ୍ଲୁଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି । ୨୦୧୪ରେ ତେଲେଙ୍ଗାନା ରାଜ୍ୟ ଗଠନ ପରେ ରେବନ୍ତ ରେଡ୍ଡୀ ହେଉଛନ୍ତି ରାଜ୍ୟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସରୁ ପ୍ରଥମ ।
ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ ବିଶାଳ ସମାରୋହରେ ୫୪ ବର୍ଷୀୟ ରେବନ୍ତ ରେଡ୍ଡୀ ଏବଂ ତାଙ୍କର ଅନ୍ୟ ୧୧ ସହକର୍ମୀ ଶପଥ ଗ୍ରହଣ କରିଥିଲେ । ଯେଉଁମାନେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ଏନ ଉତମ କୁମାର ରେଡ଼ି, ସି ଦାମୋଦର ରାଜନରସିହ୍ନା, କୋମାଟିରେଡ୍ଡୀ ଭେଂକଟ ରେଡ୍ଡି, ଶ୍ରୀଧରବାବୁ, ପୋଂଗୁଲେଟି ଶ୍ରୀନିବାସ ରେଡ଼ି, ପୋତ୍ରମ ପ୍ରଭାକର, ଏ. ସିଥକ୍କା, ନାଗେଶ୍ୱର ରାଓ, ଜୁପଲ୍ଲୀ କୃଷ୍ଣ ରାଓ ଏବଂ କୋଣ୍ଡା ସୁରେଖା ସାମିଲ ଅଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ, ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା, ହିମାଚଳର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଙ୍କ ସମେତ କେତେକ ମାନ୍ୟଗଣ୍ୟ ନେତା ଉପସ୍ଥିତ ଥିଲେ । ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ରେଡ୍ଡୀ କହିଛନ୍ତି ଯେ, ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ପାଇଁ ସମସ୍ତ ପ୍ରୟାସ କରାଯିବ । ସେ କହିଛନ୍ତି ଯେ, ବର୍ତମାନ ସେମାନଙ୍କ ଦ୍ୱାର ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ସେ ପ୍ରତ୍ୟେକ ଦିନ ପ୍ରଜା ଦରବାର ଭାବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଭେଟିବେ ।
ହିନ୍ଦୁସ୍ଥାନ ସମାଚାର/ଭାନୁ/ସମନ୍ୱୟ
