ବାରଣାସୀ, 30 ନଭେମ୍ବର (ହି.ସ.) ଲଙ୍କା ଥାନା ଅନ୍ତର୍ଗତ ମଦରଭା ଗାଁରେ ଜଣେ ମହିଳାଙ୍କ ମୃତ୍ୟୁର ବର୍ଷେ ପରେ ତାଙ୍କ ମୃତଦେହର ଅନ୍ତିମ ସଂସ୍କାର କରିନାହାନ୍ତି ଦୁଇ ଝିଅ । ମୃତଦେହକୁ ଗୋଟିଏ ରୁମରେ ବନ୍ଦ କରି ରଖି ଦୁଇ ଝିଅ ଘରେ ରହୁଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ ଯୁବତୀଙ୍କ ସମ୍ପର୍କୀୟ ଓ ପଡୋଶୀ ସ୍ତବ୍ଧ ହୋଇଯାଇଛନ୍ତି । ଘର ଭିତରୁ ପୋଲିସ କଙ୍କାଳକୁ ଜବତ କରିଛି ।
ବେଲ୍ଥରାରୋଡର ଫୁଲପୁର ଗାଁର ବାସିନ୍ଦା ରାମକୃଷ୍ଣ ପାଣ୍ଡେଙ୍କର ମଦରଭା ଲଙ୍କାର ଗଙ୍ଗା କୂଳରେ 22ବର୍ଷ ପୁରୁଣା ଘର ରହିଛି । ରାମକୃଷ୍ଣଙ୍କ ତିନି ଝିଅ ମଧ୍ୟରୁ ବଡ ଝିଅ ଉଷାର ବିବାହ ବେଲ୍ଥରାରୋଡ ଅଞ୍ଚଳର ଦେବେଶ୍ୱର ତିୱାରଙ୍କ ସହ ହୋଇଥିଲା । ଝଗଡା କାରଣରୁ 6ବର୍ଷ ପୂର୍ବେ ଉଷାକୁ ସହ ସମ୍ପର୍କ କାଟି ଦେଇଥିଲେ ଦେବେଶ୍ୱର । ଏହାପରେ ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ଉଷା ନିଜ ପିତାଙ୍କ ମଦରଭା ସ୍ଥିତ ଘରେ ନିଜର ଦୁଇ ଝିଅଙ୍କୁ ନେଇ ରହିବାକୁ ଲାଗିଲେ । ବଡ ଝିଅ ପଲ୍ଲଭୀ 27 ବର୍ଷର ହୋଇଥିବା ବେଳେ ବୈଷ୍ଣଭୀର ବୟସ 18 ଥିଲା ।
ଚଳିବା ପାଇଁ ଉଷା ଏକ କସମେଟିକ ଦୋକାନ ଖୋଲିଥିଲେ । 2ବର୍ଷ ପୂର୍ବରୁ ରାମକୃଷ୍ଣ ନିଜର ଅନ୍ୟ ଦୁଇ ଝିଅଙ୍କ ନିକଟରେ ରହୁଥିଲେ । 2022 ଡିସେମ୍ବର 8ରେ ରୋଗାକ୍ରାନ୍ତ ହୋଇ ଉଷାଙ୍କର ମୃତ୍ୟୁ ହୋଇଥିଲା । ମାଆର ମୃତ୍ୟୁ ପରେ ଦୁଇ ଝିଅ ଏହି ସୂଚନା କାହାରିକୁ ଦେଇନଥିଲେ । ଦୁଇଜଣ ଯାକ ସମ୍ପର୍କୀୟ ଓ ପଡୋଶୀଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିବା ବେଳେ ବହୁତ ଦରକାର ହେଲେ ଘରୁ ବାହାରୁଥିଲେ । ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ଓ ମାଆର ଗହଣା ବିକି ସେଥିରୁ ମିଳୁଥିବା ଟଙ୍କାରେ ସେମାନେ ଚଳୁଥିଲେ । ଏହା ଭିତରେ ତାଙ୍କ ଅଜା ଓ ମଉସା ଘରକୁ ଆସିଥିଲେ ମଧ୍ୟ ସେମାନେ କବାଟ ଖୋଲୁନଥିଲେ । ଏମାନଙ୍କ ବ୍ୟବହାରରେ ଦୁଃଖୀ ହୋଇ ଉଭୟେ ଫେରିଯାଇଥିଲା । ତେବେ ଗତ ବୁଧବାର ଅପରାହ୍ନରେ ପଲ୍ଲଭୀଙ୍କ ମଉସା ଧର୍ମେନ୍ଦ୍ର ଓ ତାଙ୍କ ପତ୍ନୀ ତାଙ୍କ ଘରକୁ ଆସିଥିଲେ । ତେବେ ଦୁଇଜଣ କବାଟ ଖୋଲିନଥିଲେ । ଏହା ଦେଖି ପଡୋଶୀମାନେ ମଧ୍ୟ ଲାଗିପଡିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଲଙ୍କା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଭିଡିଓଗ୍ରାଫି କରି ପୋଲିସ କବାଟ ଭାଙ୍ଗିଥିଲା ।
ଘର ଭିତରକୁ ପ୍ରବେଶ କରିବା ପରେ ଭିତରର ଦୃଶ୍ୟ ଦେଖି ସମସ୍ତେ ତାଜୁବ ହୋଇପଡିଥିଲେ । ଉଷାଙ୍କ ମୃତଦେହ କଙ୍କାଳରେ ପରିବର୍ତ୍ତନ ହୋଇସାରିଥିବା ବେଳେ ଏକ ରୁମରେ ଖଟ ଉପରେ ଧଳା ରଙ୍ଗର ରେଜେଇ ଘୋଡାଯାଇ ରଖାଯାଇଥିଲା । ଦୁଇ ଭଉଣୀ ଅନ୍ୟ ରୁମରେ ରହୁଥିଲେ ଏବଂ ସେମାନଙ୍କ ମାନସିକ ସ୍ଥିତି ଠିକ୍ ନଥିବା ପରି ଲାଗୁଥିଲା । ପଚରାଉଚରା ସମୟରେ ସେମାନେ ଡରରେ ମାଆଙ୍କ ମୃତ୍ୟୁ ସମ୍ପର୍କରେ କାହାରିକୁ କହିନଥିବା କହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
