ଚଣ୍ଡୀଗଡ଼, ୨୬ ନଭେମ୍ବର (ହି.ସ.)- ପାକିସ୍ତାନ ପୁଣି ଥରେ ଭାରତୀୟ ସୀମାରେ ଡ୍ରୋନ୍ ଅନୁପ୍ରବେଶ କରାଇ ହେରୋଇନ୍ ଓ ଅସ୍ତ୍ରଶସ୍ତ୍ର ପକାଇଛି । ବିଏସଏଫ ଫାୟରିଂ ପରେ ଏହି ପାକିସ୍ତାନୀ ଡ୍ରୋନ୍ କୁ କବ୍ଜାକୁ ନେଇଛି ।
ବିଏସଏଫ ମୁଖପାତ୍ରଙ୍କ ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ଆଡରୁ ଏକ ଡ୍ରୋନ୍ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲା । ଡ୍ରୋନ୍ ର ଶବ୍ଦ ଶୁଣି ବିଏସଏଫ ପକ୍ଷରୁ ଫାୟରିଂ କରାଯାଇ ଡ୍ରୋନ୍ କୁ ଆକାଶ ମାର୍ଗରୁ ତଳକୁ ଖସାଇ ଦିଆଯାଇଥିଲା । ରବିବାର ସକାଳେ ଅମୃତସରର ସୀମାବର୍ତି ଗ୍ରାମ ଚକ୍କ ଅଲ୍ଲା ବକ୍ସରେ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ସର୍ଚ୍ଚ ଅପରେସନ ବେଳେ ଏହି ପାକିସ୍ତାନୀ ଡ୍ରୋନ୍ ଜବତ ହୋଇଛି । ତଲାସୀ ଅଭିଯାନ ବେଳେ ଗୋଟିଏ ପିସ୍ତଲ, ଦୁଇଟି ମେଗଜିନ, ୨୦ଟି ଜୀବନ୍ତ କାର୍ତୁସ ଏବଂ ୫ କେଜି ୨୪୦ ଗ୍ରାମ ହେରୋଇନ ଜବତ ହୋଇଛି । ବିଏସଏଫ ପକ୍ଷରୁ ଜବତ ଡ୍ରୋନ୍, ଅସ୍ତ୍ରଶସ୍ତ୍ର ତଥା ହେରୋଇନକୁ ଯାଂଚ୍ ପାଇଁ ଏଫଏସଏଲକୁ ପଠାଯାଇଛି । ବିଏସଏଫ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
