ଭୁବନେଶ୍ୱର, ୨୨ ନଭେମ୍ବର – କେନ୍ଦ୍ର ସରକାରଙ୍କ ପ୍ରମୁଖ ଲୋକାଭିମୁଖୀ ଯୋଜନା ଗୁଡ଼ିକର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଜି ସପ୍ତମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ।
କେନ୍ଦୁଝର ଜିଲ୍ଲା କାଉଁରିକଳା ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ରୂପାନ୍ତରଣକାରୀ ପ୍ରଭାବ ଦେଖିବାକୁ ମିଳିଛି ।ସରକାରୀ ଯୋଜନାର ସମ୍ପୂର୍ଣ୍ଣ ପ୍ରସାର କ୍ଷେତ୍ରରେ ଏହି ଅଭିଯାନ ବିଶେଷ ସହାୟକ ହୋଇଛି । ଆଜି ସଂକଳ୍ପ ଯାତ୍ରା ଅନ୍ତର୍ଗତ ପଞ୍ଚାୟତରେ ମମତା ଯୋଜନା, ଉଜ୍ଜ୍ୱଳା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହିତ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା।
ଅନ୍ୟପଟେ ମାଲକାନଗିରି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ଜାରି ରଖିଛି । ଆଜି ମୋଟୁ ଗ୍ରାମ ପଞ୍ଚାୟତରେ ଆୟୋଜିତ ସଂକଳ୍ପ ଯାତ୍ରା ଅବସରରେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଯାଇଛି । ଏଥିପୂର୍ବରୁ ଆଦିବାସୀ ସମୁଦାୟର ଲୋକମାନେ ସଂକଳ୍ପ ଯାତ୍ରାକୁ ପାରମ୍ପରିକ ବାଦ୍ୟ ବଜାଇ ସ୍ୱାଗତ କରିଥିଲେ। ଏହି ଅବସରରେ ପୁଷ୍ଟିକର ଖାଦ୍ୟସାମଗ୍ରୀ ମେଳା ଆୟୋଜନ କରାଯାଇଥିଲା।
କନ୍ଧମାଳ ଜିଲ୍ଲା ରାଇକିଆରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସ୍ଥାନୀୟ ହିତାଧିକାରୀମାନେ ପିଏମ୍ କିସାନ୍ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆଦି ସମ୍ପର୍କରେ ସେମାନଙ୍କର ଅନୁଭୂତି କହିଥିଲେ। ଏସବୁ ଯୋଜନାର ସୁଫଳ ପାଉଥିବାରୁ ସେମାନେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ହିତାଧିକାରୀଙ୍କ ସକାରାତ୍ମକ ପ୍ରତିକ୍ରିୟାରୁ ସରକାରୀ ଯୋଜନାର ରୂପାନ୍ତରଣକାରୀ ପ୍ରଭାବ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ିଥିଲା।ରାଇକିଆ ବିଡିଓ ସୀମାଞ୍ଚଳ ମଣ୍ଡଳ ବେରେଡାକିଆ ପଞ୍ଚାୟତ ପରିସରରେ ଆୟୋଜିତ ସଂକଳ୍ପ ଯାତ୍ରାରେ ସମସ୍ତଙ୍କୁ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଆଦିବାସୀ ହିତାଧିକାରୀ ଯୋଗ ଦେଇ ପାରମ୍ପରିକ ଲୋକନୃତ୍ୟ ସହ ସଂକଳ୍ପ ଯାତ୍ରାର ସଚେତନତାକୁ ସ୍ୱାଗତ ଜଣାଇଥିଲେ।
ଅନ୍ୟପଟେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ବିଶ୍ୱନାଥପୁର ଗ୍ରାମପଞ୍ଚାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସଂଯୋଗ ବଣ୍ଟନ କରାଯାଇଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା। ସଂକଳ୍ପ ଯାତ୍ରାର ସଚେତନତା ରଥକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଥିଲେ।ହିତାଧିକାରୀମାନେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
