ପ୍ରଥମ ଥର ପାଇଁ ଶିକ୍ଷାନୁଷ୍ଠାନ, ଦକ୍ଷତା ପ୍ରତିଷ୍ଠାନ ଓ ଶିଳ୍ପାନୁଷ୍ଠାନ ଯୁବପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଏକତ୍ରିତ ହୋଇଛନ୍ତି – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, 9 ନଭେମ୍ବର (ହି.ସ.) – କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗରିମାମୟ ଉପସ୍ଥିତିରେ ଆଜି ନୂଆଦିଲ୍ଲୀ ଠାରେ ଆଇଆଇଏସ କାନପୁର ସହ ଆଇଆଇଟି କାନପୁର, ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍) ଏବଂ ଡାସଲ୍ଟ ଏୟାରକ୍ରାଫ୍ଟ ସର୍ଭିସେସ୍ ଇଣ୍ଡିଆ (ଡିଏଏସ୍ଆଇ) ସହିତ ୩ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଥମ ଥର ପାଇଁ ଶିକ୍ଷାନୁଷ୍ଠାନ, ଦକ୍ଷତା ପ୍ରତିଷ୍ଠାନ ଓ ଶିଳ୍ପାନୁଷ୍ଠାନ ଯୁବପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଏକତ୍ରିତ ହୋଇଛନ୍ତି । ଆଇଆଇଟି କାନପୁର, ଆଇଆଇଏସ କାନପୁର, ହାଲ୍ ଏବଂ ଡାସଲ୍ଟ ଏୟାରକ୍ରାଫ୍ଟ ସର୍ଭିସେସ୍ ଇଣ୍ଡିଆ ମଧ୍ୟରେ ସହଯୋଗ ଦକ୍ଷତା ବିକାଶର ଭବିଷ୍ୟତର ରୂପରେଖକୁ ବଦଳାଇବା ତଥା ଭାରତର ଯୁବବର୍ଗଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ।
ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଉଦ୍ଦେଶ୍ୟକୁ ବାସ୍ତବର ରୂପ ଦେବା ତଥା ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ସ୍ଥାନୀୟ ଯୁବକମାନଙ୍କୁ ସଶକ୍ତ ତଥା ପ୍ରସ୍ତୁତ କରିବ । ବିଶେଷ ଭାବରେ ଉତର ପ୍ରଦେଶର ପ୍ରତିରକ୍ଷା ଶିଳ୍ପ କରିଡରକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଯାଇଛି ।ଏହା ଉତର ପ୍ରଦେଶର ଯୁବକମାନଙ୍କୁ ବିମାନ ଚଳାଚଳ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ଯୁଗର ପାଠ୍ୟକ୍ରମରେ ଗୁଣାତ୍ମକ ମଡ୍ୟୁଲ୍ ଉପଲବ୍ଧ କରାଇବ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆଇଆଇଏସ୍ କାନପୁରର ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା, ଦକ୍ଷତା ଏବଂ ଅଗ୍ରଣୀ ଶିଳ୍ପସଂସ୍ଥା ଗୁଡ଼ିକ ମଧ୍ୟରେ ସହଯୋଗ ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସିଙ୍ଗାପୁରର ବୈଷୟିକ ଶିକ୍ଷା ଅନୁଷ୍ଠାନ ପରିଦର୍ଶନ ସମୟରେ ଏହି ଆଇଆଇଏସର କଳ୍ପନା କରିଥିଲେ । ବର୍ତମାନର ଦକ୍ଷତା ଇକୋସିଷ୍ଟମରେ ପ୍ରଶିକ୍ଷଣ ମାନ ବୃଦ୍ଧି ପାଇଁ ଦେଶରେ ଆଇଆଇଏସ୍ ପ୍ରତିଷ୍ଠା କରାଯାଉଛି ।
ଏହି ଏମଓୟୁ ଅଧୀନରେ ଭବିଷ୍ୟତ ଆଧାରିତ ପାଠ୍ୟକ୍ରମ କ୍ଷେତ୍ରରେ ଆମ ଦେଶର ଯୁବକ ଏବଂ ଶ୍ରମଶକ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଏକ ଉପହାର । ଉତରପ୍ରଦେଶର ପ୍ରତିରକ୍ଷା କରିଡରରୁ ଉଭା ହୋଇଥିବା ସୁଯୋଗର ଲାଭ ଉଠାଇବା ଏବଂ ଏରୋସ୍ପେସ୍, ବିମାନ ଚଳାଚଳ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବା ପାଇଁ ପଥ ପ୍ରଶସ୍ତ କରିବ । ଆଇଆଇଏସ୍ କାନପୁର ଆଇଆଇଟି କାନପୁର ସହିତ ଭାଗିଦାରୀତା ହୋଇ କାପାସିଟି ବିଲଡିଂ ଗଠନ କରିବା ସହ ଭାରତର ଯୁବବର୍ଗଙ୍କ ଆକାଂକ୍ଷା ପୂରଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
………………………..
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
