ଭୁବନେଶ୍ୱର, 7 ନଭେମ୍ବର (ହି.ସ.) – ଅମ୍ବୋଭନା ଥାନାରେ ପୋଲିସ କର୍ମୀଙ୍କୁ ଆକ୍ରମଣ କରିବା ସହ ଥାନା ଭଙ୍ଗାରୁଜା କରିବା ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବିଜେପି ବିଧାୟକ ମୋହନ ଚରଣ ମାଝୀ । ଏହାସହ ସେ ପାୱାରହାଉସ୍ ଛକ ରେଂଜ ରୋଭର ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ମଙ୍ଗଳବାର ଏକ ଟୁଇଟ୍ ଶୃଙ୍ଖଳରେ ମୋହନ ମାଝୀ ଲେଖିଛନ୍ତି ଯେ ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ଓ ବର୍ତମାନର ବିଧାୟକ ନିଜେ ଉପସ୍ଥିତି ରହିବା ସହ ଗୁଣ୍ଡା ମାନଙ୍କୁ ଲଗାଇ ଅମ୍ବୋଭନା ଥାନାରେ ପୋଲିସ କର୍ମୀଙ୍କୁ ଆକ୍ରମଣ କରିବା ସହ ଥାନା ଭଙ୍ଗାରୁଜା କରିବା ଓ ସରକାରୀ ସମ୍ପତିକୁ ନଷ୍ଟ କରିବା ଭଳି ଘଟଣାକୁ ମୁଁ ଦୃଢ ଭାବରେ ନିନ୍ଦା କରୁଛି ।ବିଜେଡ଼ି ସରକାରରେ କିଛି ଲୋକମାନେ ଲମ୍ବା ସମୟ ଧରି କ୍ଷମତାରେ ରହିବାରୁ ଅହଙ୍କାରୀ ହୋଇଯାଇଛନ୍ତି । ହିଟଲର ମନୋବୃତି ତଥା ଏକଚାଟିଆ ଓ ସ୍ୱେଚ୍ଛାଚାରିତା ବିଜେଡି ମନ୍ତ୍ରୀ ଓ ବିଧାୟକଙ୍କ ଆଦର୍ଶ ହୋଇଛି । ରାଜ୍ୟରେ ଶାସନ କରୁଥିବା ଲୋକମାନେ ଧୃତରାଷ୍ଟ୍ରଙ୍କ ପରି ଅନ୍ଧପୁଟୁଳି ବାନ୍ଧି ଦେଇଛନ୍ତି । ରୋମ ଜଳୁଥିବା ବେଳେ ନିରୋଙ୍କ ବଂଶୀବାଦନ ଭଳି ରାଜ୍ୟର ଶାସନ ବ୍ୟବସ୍ଥା ସେହି ଅବସ୍ଥାରେ ଥିବା ଭଳି ମନେହେଉଛି ।
ଅପରପକ୍ଷରେ ପାୱାର ହାଉସ ଛକରେ ଗାଡି ଦୁର୍ଘଟଣାରେ ଗାଁରୁ ଆସି ଭୁବନେଶ୍ୱରରେ ଚାକିରି କରିଥିବା ଭଉଣୀଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାରେ ସରକାର ନୀରବ ।ଏହି ସରକାର ସମ୍ବେଦନଶୀଳ ଘଟଣାର ସତ୍ୟାସତ୍ୟ ଜାଣିବା ଦିଗରେ କେବେ ହେଲେ ଚେଷ୍ଟା କରୁନାହିଁ, ଯାହା ରାଜ୍ୟର ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ । ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ରହୁଥିବା ସରକାର ।
ଆଇନଶୃଙ୍ଖଳା ଭଲ ଅଛି କହି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଥିବା ସରକାର ।
ରାଜ୍ୟ ସରକାର ନିଦରୁ ଉଠନ୍ତୁ ଏବଂ ଅମ୍ବୋଭନା ଥାନା ଭାଙ୍ଗିବା ଘଟଣାରେ ଭଟଲି ବିଧାୟକଙ୍କୁ ଗିରଫ କରିବା ସହ ଭୁବନେଶ୍ୱର ପାୱାର ହାଉସ ଛକ ଠାରେ ଗାଡି ଧକ୍କାରେ ମୃତ୍ୟୁବରଣ କରିଥିବା ଭଉଣୀଙ୍କୁ ସରକାର ନ୍ୟାୟ ପ୍ରଦାନ କରନ୍ତୁ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
