କଳାହାଣ୍ଡିର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୫୫ କୋଟି – ୪୬୭୮ ପ୍ରକଳ୍ପ
ନବରଙ୍ଗପୁରର ୪ଟି ନିର୍ବାଚନ ମଣ୍ଡଳୀ ପାଇଁ ୯୪.୫୦ କୋଟି – ୨୯୪୨ ପ୍ରକଳ୍ପ
ଭୁବନେଶ୍ୱର, 3 ନଭେମ୍ବର (ହି.ସ.) – ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଆମ ଓଡିଶା ନବୀନ ଓଡିଶା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିପାଇଁ କଳାହାଣ୍ଡି ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୫୫ କୋଟି ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଜୁନାଗଡ, ଲାଞ୍ଜିଗଡ, ନର୍ଲା, ଧର୍ମଗଡ, ଭବାନିପାଟଣା । ଏହିସବୁ ନିର୍ବାଚନମଣ୍ଡଳୀର ୧୩ଟି ବ୍ଲକ୍ ର ୩୧୦ଟି ଗ୍ରାମ ପଂଚାୟତରେ ୪୬୭୮ଟି ପ୍ରକଳ୍ପ ହେବ । ସେହିପରି ନବରଙ୍ଗପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୪.୫୦ କୋଟି ଟଙ୍କା ମଂଜୁର ହୋଇଛି । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଡାବୁଗାଁ, ନବରଙ୍ଗପୁର, ଉମରକୋଟ, ଝରିଗାଁ । ଏଥିରେ ୧୦ଟି ବ୍ଲକ୍ ର ୧୮୯ଟି ଗ୍ରାମପଂଚାୟତରେ ୨୯୪୨ଟି ପ୍ରକଳ୍ପ କରାଯିବ । ୨ଟି ଜିଲ୍ଲାରେ ସମୁଦାୟ ୭୫ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୦୫.୪୧ କୋଟି ଟଙ୍କା ମଞ୍ଜୁର ହୋଇଛି ।
୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି । ଏହି ପାଳିରେ ମୁଖ୍ୟମନ୍ତ୍ରୀ ଓଡିଶାରେ ରୂପାନ୍ତରର ଯୁଗ ଆରମ୍ଭ କରିବା ସହିତ ମା’ ମାନଙ୍କୁ ୫ଟି ସୁନ୍ଦର ଉପହାର ଦେଉଛନ୍ତି । ୫ ଟଙ୍କାରେ ଆହାର, ମମତା ଯୋଜନାରେ ଗର୍ଭବତୀ ମା’ ମାନଙ୍କୁ ୫ ହଜାର ଟଙ୍କା ସହାୟତା, ଲକ୍ଷ୍ମୀ ବସ୍ ଯୋଜନାରେ ମା’ ମାନଙ୍କୁ ୫ ଟଙ୍କାରେ ପାଇଁ ବସରେ ଯିବାଆସିବାର ସୁବିଧା, ମିଶନ ଶକ୍ତିରେ ମା’ ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ତା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବା ବେଳେ ମା’ ମାନଙ୍କ ପାଇଁ ଆଉ ଅଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରାଯାଇଛି ବୋଲି ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ ।
ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ କଲମପୁର ଓ ଜୁନାଗଡ ବ୍ଲକରେ ହାତୀ ନଦୀର ବାମ ପାର୍ଶ୍ୱ ବନ୍ଧର ସୁଦୃଢିକରଣ ପାଇଁ ୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ଜୁନାଗଡ ମା’ ଲଙ୍କେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ, ଗୋଟିଏ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୂପାନ୍ତର ସାମିଲ । ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬୦.୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ପ୍ରସିଦ୍ଧ ମା’ ମାଣିକେଶ୍ୱରୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୧ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ନିକଟରେ କଳାହାଣ୍ଡି ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମା’ ମାଣିକେଶ୍ୱରୀଙ୍କ ନାମରେ ନାମିତ କରିଛନ୍ତି । ଥୁଆମୂଳ-ରାମପୁର ଜଗନ୍ନାଥ ମନ୍ଦିର, ପିପଳନଳାଠାରେ ପର୍ଯ୍ୟଟନ ବିକାଶ, ରାବଣଧାରା ଜଳପ୍ରପାତ ପର୍ଯ୍ୟଟନ ବିକାଶ ଆଦି ପ୍ରକଳ୍ପ ମଞ୍ଜୁର କରାଯାଇଛି । ଭଟଙ୍ଗପଦର ଓ କାଚଲେଖାଠାରେ ୧୨୦ ଆସନ ବିଶିଷ୍ଟ ୩ଟି ହଷ୍ଟେଲ ନିର୍ମାଣ କରାଯିବ । ଏଥିପାଇଁ ୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଇନ୍ଦ୍ରାବତୀ ଜଲଭଣ୍ଡାର ବିଚ୍ଛିନ୍ନାଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । ନର୍ଲା ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ପରି କଳାହାଣ୍ଡି ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୪୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୩୬.୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।
ସେହିପରି ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୭.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ଗୁଚ୍ଛାଗୁଡାଦେଇ ଏକୋରି ପର୍ଯ୍ୟନ୍ତ ରାସ୍ତା ଉପରେ ସେତୁ କରିବା ପାଇଁ ୮.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାର ୩ ହଜାର ୫୦୦ ଲୋକ ଉପକାର ପାଇବେ । ଏଥିରେ ନବରଙ୍ଗପୁର ପୌରାଂଚଳରେ ୪ଟି ବହୁମୂଖୀ କମ୍ୟୁନିଟି ହଲ୍ ପାଇଁ ୩.୮୩ କୋଟି, ମାଙ୍ଗରାଡୋରା ଜଳପ୍ରପାତ ପର୍ଯ୍ୟଟନ ଭିତି ପାଇଁ ୩.୨୦ କୋଟି, ମାଣ୍ଡାଡୋଗରି ଶୈବକ୍ଷେତ୍ର ଉନ୍ନତି ପାଇଁ ୨.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏ ସବୁ ପ୍ରକଳ୍ପ ଦ୍ୱରା ୨ ଲକ୍ଷରୁ ଅଧିକ ଲୋକ ଉପକରା ପାଇବେ । ନବରଙ୍ଗପୁର କଲେଜ ଓ ମଡେଲ ଡିଗ୍ରୀ କଲେଜ ଉନ୍ନତିକରଣ ସହିତ ମା’ ଭଣ୍ଡାରଘରଣୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ମଧ୍ୟ ନିଆଯାଇଛି । ନବରଙ୍ଗପୁରର ଲାଖ କାରିଗରଙ୍କ ପାଇଁ ଏକ କଂଚାମାଲ ବ୍ୟାଙ୍କ ମଧ୍ୟ କରାଯିବ । ଏହା ଦ୍ୱାର ୨୦୦ କାରିଗର ପରିବାର ଉପକାର ପାଇବେ । ଏହି ପରି ନବରଙ୍ଗପୁର ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୮.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବିଧାୟକ ଦିବ୍ୟଶଙ୍କର ମିଶ୍ର, ବିଧାୟକ ପ୍ରଦୀପ କୁମାର ଦିଶାରି, ବିଧାୟକ ଭୂପିନ୍ଦର ସିଂ, ବିଧାୟକ ମୌସଧି ବାଗ, ବିଧାୟକ ମନୋହର ରନ୍ଧାରି, ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ବିଧାୟକ ସଦାଶିବ ପ୍ରଧାନୀଙ୍କ ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ ।
ଜୁନାଗଡରେ ଉପସ୍ଥିତ ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଲେ ଯେ କଳାହାଣ୍ଡିରେ ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ଆଦି ପ୍ରତିଷ୍ଠା କରି ମୁଖ୍ୟମନ୍ତ୍ରୀ ଶିକ୍ଷାର ବିକାଶ ଜରିଆରେ ଜିଲ୍ଲାକୁ ମା ସରସ୍ୱତୀକୁ ଆଣିଛନ୍ତି । ପୂର୍ବରୁ ଇନ୍ଦ୍ରାବତୀ ଜରିଆରେ ମା ଗଙ୍ଗାଙ୍କୁ ଆଣିଛନ୍ତି ଏବଂ ନିକଟରେ ପରିବହନ ବ୍ୟବସ୍ଥାରେ ମା ଲକ୍ଷ୍ମୀଙ୍କୁ ମଧ୍ୟ ଆଣିଛନ୍ତି । ଏବେ କଲାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ତିନି ଦେବୀଙ୍କ ଆଶୀର୍ବାଦ ମିଳିଛି । ନର୍ଲାରେ ଉପସ୍ଥିତ ବିଧାୟକ ଭୂପିନ୍ଦର ସିଂ କହିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ କହନ୍ତି କଳାହାଣ୍ଡି ତାଙ୍କ ହୃଦୟରେ ଅଛି । ଆଜି ସେ ତାହା କାର୍ଯ୍ୟରେ କରି ଦେଖାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
